ତାଳଚେର ବ୍ଲକରେ ଧୀରେଧୀରେ ବଢୁଛିକି କରୋନା ଆକ୍ରାନ୍ତଙ୍କ ସଂଖ୍ୟା! ଅନୁଗୋଳ ଜିଲ୍ଲାରେ ମୋଟ ୩୪୫ ସଂକ୍ରମିତ
ଅନୁଗୋଳ : ଅନୁଗୋଳ ଜିଲ୍ଲାରୁ ରବିବାର ଦିନ ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତାଳଚେର ବ୍ଲକ୍ ଅଞ୍ଚଳରୁ ସର୍ବାଧିକ ୫ ଜଣ ଓ ଜଣେ ଅନୁଗୋଳ ପୌରାଞ୍ଚଳରୁ ଚିହ୍ନଟ ହୋଇଛନ୍ତି।
ତାଳଚେର ବ୍ଲକ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୨୪ , ୪୫ ଓ ୫୨ ବର୍ଷ ଅଟେ। ଏହି ୩ ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ନିଜେ ପଜିଟିଭ ହୋଇଛନ୍ତି। ଏହି ବ୍ଲକ୍ ଅଞ୍ଚଳ ଜଣେ ୨୦ ବର୍ଷିୟ ପୁରୁଷ ତାଙ୍କ ପରିବାରରେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ଜଣେ ସଦସ୍ୟଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି। ଅନ୍ୟ ଜଣେ ଆକ୍ରାନ୍ତ ଏହି ବ୍ଲକ୍ ଅଞ୍ଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରେ ଥିବା ଜଣେ ୩୫ ବର୍ଷୟ ଉତ୍ତରପ୍ରଦେଶ ଫେରନ୍ତା ପୁରୁଷ ଯିଏକି ସଂଗରୋଧରେ ଥିବାବେଳେ ତାଙ୍କର ପଜିଟିଭ ବାହାରିଛି ।
ସେହିପରି ଅନୁଗୋଳ ପୌରାଞ୍ଚଳରୁ ଜଣେ ୫୫ ବର୍ଷିୟ ଲକ୍ଷଣଯୁକ୍ତ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂପର୍ଶରେ ଆସିଥିବାରୁ ପଜିଟିଭ ଜଣାପଡିଛନ୍ତି। ଆଜି ଚିହ୍ନଟ ହୋଇଥିବା ୬ ଜଣ ଆକ୍ରାନ୍ତଙ୍କକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୫ରେ ପହଞ୍ଚିଲା। ଏହି ୬ ଜଣ ଆକ୍ରାନ୍ତକୁ ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି।
ସେହିପରି ତାଳଚେର କୋଭିଡ ହସପିଟାଲରୁ ଚିକିତ୍ସିତ ହୋଇ ସୁସ୍ତ ହୋଇଥିବା ୫ ଜଣକ ମଧ୍ୟରୁ ୩ ଜଣକୁ ନିଜ ଘରେ ଆଇସୋଲୋଶନ(Isolation ) ରେ ରହିବାକୁ ପରାମର୍ଶ ଦିଆଯାଇଥିବାବେଳେ ୨ଜଣକୁ ବଅଁରପାଳ ସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲର କୋଭିଡ କେୟାର ସେଣ୍ଟରକୁ ନିରୀକ୍ଷଣ ନିମନ୍ତେ ପଠାଯାଇଛି। ପୂର୍ବରୁ ସୁସ୍ଥ ହୋଇଥିବା ୨୨୬ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୨୩୧ ରେ ପହଂଚିଲା।