Breaking Newsଓଡ଼ିଶାଜାତୀୟ

ସ୍ୱାଧୀନତା ଦିବସ ଉପଲକ୍ଷେ ୯୨୬ଜଣ ପୁଲିସ କର୍ମଚାରୀଙ୍କୁ ପଦକ ପ୍ରଦାନ,ଓଡ଼ିଶାରୁ ୧୪ ଜଣ ସମ୍ମାନିତ

Share this:

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ମୋଟ ୯୨୬ ପୁଲିସ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଓଡିଶାର ୧୪ ଜଣ ଅନ୍ତର୍ଭୁକ୍ତ। ଏହି କର୍ମଚାରୀଙ୍କ ମଧ୍ୟରେ ୨୧୫ ଜଣଙ୍କୁ ସାହସିକତା ପାଇଁ ପୁଲିସ ପଦକ (ପିଏମ୍‌ଜି) ପ୍ରଦାନ କରାଯାଇଥିବାବେଳେ ୮୦ଜଣଙ୍କୁ ଅତି ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ଦିଆଯାଇଛି। ଏହାଛଡା ୬୩୧ ପୁଲିସ କର୍ମଚାରୀ ଉଲ୍ଲେଖନୀୟ ସେବା ପାଇଁ ଏହି ପଦକ ପାଇଛନ୍ତି।

ଯେଉଁ ୨୧୫ ଜଣ ସାହସିକତା ପୁରସ୍କାର ପାଇଛନ୍ତି ସେମାନଙ୍କ ମଧ୍ୟରୁ ୧୨୩ ଜଣ କେବଳ ଆତଙ୍କବାଦ ପ୍ରବଣ ଜମ୍ମୁ କଶ୍ମୀରରେ କାର୍ଯ୍ୟ କରିଛନ୍ତି। ଏହାଛଡା ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ କାର୍ଯ୍ୟ କରୁଥିବା ପୁଲିସ କର୍ମଚାରୀଙ୍କ ମଧ୍ୟରୁ ୨୯ ଜଣ ଏବଂ ଉତ୍ତର ପୂର୍ବାଞ୍ଚଳରୁ ୮ଜଣ ପୁଲିସ କର୍ମଚାରୀ ଏହି ପଦକ ପାଇଛନ୍ତି। ଯେଉଁମାନେ ସାହସିକତା ପୁରସ୍କାର ପାଇଛନ୍ତି ସେମାନଙ୍କ ମଧ୍ୟରୁ ୫୫ଜଣ ସିଆରପିଏଫ୍‌ର, ୮୧ ଜଣ ଜମ୍ମୁ କଶ୍ମୀରର ପୁଲିସ ବାହିନୀର, ୨୩ ଜଣ ଉତ୍ତର ପ୍ରଦେଶର, ୧୬ ଜଣ ଦିଲ୍ଲୀ ପୁଲିସର, ୧୪ ଜଣ ମହାରାଷ୍ଟ୍ରର ଏବଂ ୧୨ଜଣ ଝାଡଖଣ୍ଡର ଅଛନ୍ତି। ଏହାଛଡା ଆଉ ଯେଉଁମାନେ ପଦକ ପାଇଛନ୍ତି ସେମାନେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଓ ଅବଶିଷ୍ଟ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ କର୍ମଚାରୀ।

ଓଡ଼ିଶାର ସମ୍ମାନିତ ପୁଲିସ କର୍ମଚାରୀ

ଓଡ଼ିଶାରୁ ୧୪ ଜଣଙ୍କୁ ଏହି ପଦକ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୨ ଜଣ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ପାଇଥିବାବେଳେ ଅନ୍ୟ ଦୁଇ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିଛି। ପୁଲିସ ପଦକରେ ସମ୍ମାନିତ ହୋଇଥିବା ଓଡିଶାର ୧୨ଜଣ ହେଲେ, ଅଭିରାମ କର (ଅତିରିକ୍ତ ପୁଲିସ ଅଧୀକ୍ଷକ, କଟକ), ତାପସ ରଂଜନ ମହାପାତ୍ର (ସହକାରୀ କମାଣ୍ଡାଣ୍ଡ ଏସ୍‌ଓଜି, ଭୁବନେଶ୍ୱର),ସୁନିଲ କୁମାର ମିଶ୍ର (ଏସ୍‌ଓପି, ଭୁବନେଶ୍ୱର), ଅନୁପମା ମହାପାତ୍ର (ଡିଏସ୍‌ପି ଇନ-ଚାର୍ଜ, ଭୁବନେଶ୍ୱର) ରାଜ କିଶୋର ପାଇକରାୟ (ଅତିରିକ୍ତ ଡିସିପି, ଭୁବନେଶ୍ୱର),ଅଜୟ କୁମାର ଦାସ (ଇନ୍ସପେକ୍ଟର ୟୁପିଡି, କଟକ), ଅତୁଲ କୃଷ୍ଣ ଦାସ (ଆଇପି, ସ୍ୱତନ୍ତ୍ର ଇଣ୍ଟିଲିଜେନ୍ସ ୱିଙ୍ଗ), ନିର୍ମଳ କୁମାର ମହାପାତ୍ର (ଇନ୍ସପେକ୍ଟର, ବରଗଡ), କିଶୋର ଚନ୍ଦ୍ର ବଳବନ୍ତରାୟ (ସୁବେଦାର, ପଞ୍ଚମ ଆଇଆର ବାଟାଲିୟନ, ବୌଦ୍ଧ), ରଥ ଲାକ୍ରା (ଓଏସ୍‌ଏପି ଚତୁର୍ଥ ବାଟାଲିୟନ, ରାଉରକେଲା) ଏବଂ ମହମ୍ମଦ ହଜଲ ଉମର (ଏପିଆର ହାବିଲଦାର ଭିଜିଲାନ୍ସ, କୋରାପୁଟ)।

ସେହିଭଳି ସମ୍ମାନଜନକ ରାଷ୍ଟ୍ରପତି ପଦକ ଲାଗି ଓଡିଶାରୁ ମନୋନୀତ ଦୁଇଜଣ ହେଲେ,କେ.ବେଣୁଗୋପାଳ ଆଚାରୀ (ଡିଏସ୍‌ପି ଭିଜିଲାନ୍ସ, ଭୁବନେଶ୍ୱର) ଏବଂ ବିରଞ୍ଚି ନାରାୟଣ ସାହୁ (କନଷ୍ଟେବଳ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀ, ଭୁବନେଶ୍ୱର)।

Share this: