ଆଜିଠାରୁ ୪ ଜିଲ୍ଲା ଓ ରାଉରକେଲା ୧୪ ଦିନ ପାଇଁ ଲକଡାଉନ୍, ଅତ୍ୟାବଶ୍ୟକୀୟ ସେବା ଲକଡାଉନ ରୁ ବାଦ

Share this:

ଭୁବନେଶ୍ୱର: କରୋନା ସଂକ୍ରମଣ କୁ ରୋକିବା ପାଇଁ ରାଜ୍ୟ ସରକାର ବହୁଳ ସଂକ୍ରମଣ ଥିବା ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମକୁ ୧୪ଦିନ ଲାଗି ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀ ରେ  ରାଜ୍ୟବାସୀଙ୍କୁ ଏହି ନିଷ୍ପତ୍ତି ସଂପର୍କରେ ଅବଗତ କରିଛନ୍ତି। ମୁଖ୍ୟଶାସନ ସଚିବଙ୍କ ଘୋଷଣା ଅନୁସାରେ  ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାକୁ ଆସନ୍ତା ୧୪ ଦିନ ଯାଏଁ  ଲକଡାଉନ୍ ‌ରଖାଯିବ। ସେହିପରି  ସୁନ୍ଦରଗଡ଼ ଜିଲ୍ଲାର ସଂକ୍ରମିତ ରାଉରକେଲା ମହାନଗର ନିଗମ ଅଞ୍ଚଳକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସବୁ ଅଞ୍ଚଳ ୧୭ ତାରିଖ ରାତି ୯ଟା ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ରହିବ। ସୂଚନାଯୋଗ୍ୟ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାରୁ ୬୬ ପ୍ରତିଶତ ସଂକ୍ରମଣ ଚିହ୍ନଟ ହୋଇଥିବାରୁ ଏପରି ପଦକ୍ଷେପ ନିଆଯାଇଛି।

ଲକ୍‌ଡାଉନ୍‌ ସମୟରେ ଜନସାଧାରଙ୍କ ଚଳପ୍ରଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ଦୋକାନବଜାର, ଅଫିସ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ବି ବନ୍ଦ ରହିବ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ଅଫିସଗୁଡ଼ିକ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ଗାଡ଼ି ଚଳାଚଳ ବନ୍ଦ ରହିବ। କିନ୍ତୁ ପୁଲିସ, ଅଗ୍ନିଶମ, ବିପର୍ଯ୍ୟୟ ପରିଚାଳନା, ଜଳଯୋଗାଣ, ପରିମଳ, ବିଦ୍ୟୁତ ସରବରାହ ଓ ଅନ୍ୟ ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା କାର୍ଯ୍ୟାଳୟ ଚାଲୁ ରହିବ। ଲକ୍‌ଡାଉନ୍‌ ସମୟରେ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ, ଔଷଧ ଦୋକାନ, ରନ୍ଧନ ଗ୍ୟାସ ଯୋଗାଣ ଓ ପେଟ୍ରୋଲ ପମ୍ପ ଖୋଲା ରହିବ। ତେଜରାତି ଦୋକାନ, ପରିବା ଦୋକାନ, କ୍ଷୀର ଦୋକାନ, ମାଛ-ମାଂସ ଦୋକାନ ଲକ୍‌ଡାଉନ୍‌ ସମୟରେ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ରାସ୍ତପାର୍ଶ୍ୱରେ ଟ୍ରକ୍‌ ଚାଳକଙ୍କ ପାଇଁ ଢ଼ାବା ଓ ହୋଟେଲ ଖୋଲା ରହିବ। କିନ୍ତୁ ଏହି ଢ଼ାବା  ହୋଟେଲରେ କେହି ବସି ଖାଇ ପାରିବେ ନାହିଁ, କେବଳ ପାର୍ସଲରେ ଖାଦ୍ୟ ନେଇ ପାରିବେ।

ଗୁରୁତ୍ଵ ପୁର୍ଣ୍ଣ କଥା ହେଲା ଲକ୍‌ଡାଉନ୍‌ ସମୟ ରେ ଏହି ଚାରି ଜିଲ୍ଲା ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଯାଜପୁର ଜିଲ୍ଲାକୁ ବାହାର ଜିଲ୍ଲାରୁ କେହି ପ୍ରବେଶ କରିପାରିବେ ନାହିଁ କିମ୍ବା ଏହି ଚାରି ଜିଲ୍ଲାରୁ କେହି ଜିଲ୍ଲା ବାହାରକୁ ଯାଇପାରିବେ ନାହିଁ। ଲକ୍‌ଡାଉନ୍‌ ସମୟରେ ଡାକ୍ତରଖାନାରେ କାର୍ଯ୍ୟରତ କର୍ମଚାରୀ, ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀ ଏବଂ ଚିହ୍ନିତ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା କର୍ମଚାରୀ ପାସ୍‌ ଦେଖାଇ ଯାତାୟତ କରି ପାରିବେ। ବସ୍‌ଷ୍ଟାଣ୍ଡ ଓ ରେଳ ଷ୍ଟେସନ୍‌କୁ ଯିବା ଆସିବା ଲାଗି ଓଲା ଓ ଉବର ଓ ଅନ୍ୟପରିବହନକୁ ଅନୁମତି ଦିଆଯାଇଛି।

ପୂର୍ବରୁ ଜିଲ୍ଲାପ୍ରଶାସନ ଓ ସ୍ଥାନୀୟ  ପ୍ରଶାସନ ନିଜସ୍ୱ ଜିଲ୍ଲା ଓ ସହର ଲାଗି କୋଭିଡ-୧୯ କଟକଣା ନେଇ ନିଷ୍ପତ୍ତି ନେଉଥିଲେ, କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାର ଏହି ଜିଲ୍ଲା ଲାଗି ନିଷ୍ପତ୍ତି ନେବେ। ଯଦି ଏହି ଲକ୍‌ଡାଉନ୍‌ ନିୟମ ସହିତ ଅନ୍ୟ କିଛି ନିୟମ ଲାଗୁ କରନ୍ତି ତେବେ ତାହା ଲାଗୁ ରହିବ। ଏହି ୧୪ଦିନ ମଧ୍ୟରେ ଏହି ୪ ଜିଲ୍ଲା ଓ ରାଉରକେଲା ମହାନଗରରେ ଲକ୍ଷଣ ଥିବା ରୋଗୀଙ୍କୁ ଚିହ୍ନଟ କରାଯିବା ପ୍ରକ୍ରିୟାକୁ ତ୍ୱରାନ୍ଵିତ କରାଯିବା ସହ ସ୍କ୍ରିନିଂ ଓ ଟେଷ୍ଟିଂକୁ ବ୍ୟାପକ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।

FROM THE WEB

Share this: