ଗତ ୨୪ ଘଣ୍ଟାରେ ୩୫ ହଜାର କରୋନା ସଂକ୍ରମିତ ସୁସ୍ଥ , ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦ ଲକ୍ଷ ପାଖାପାଖି
ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଗୁଡିକ ପକ୍ଷରୁ ଗ୍ରହଣ କରାଯାଇଥିବା ସମନ୍ୱିତ ପରୀକ୍ଷା, ଚିହ୍ନଟ, ଚିକିତ୍ସା ରଣନୀତି ଯୋଗୁଁ ଦେଶରେ ଆକ୍ରାନ୍ତଙ୍କ ମୃତ୍ୟୁହାର ବିଶ୍ୱର ଅନ୍ୟ ଦେଶ ତୁଳନାରେ କମ୍ ରହିଛି। ଏହି ହାର ମଧ୍ୟ ନିରନ୍ତର କମିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ବ୍ୟାପକଭାବେ ଲୋକଙ୍କ ପରୀକ୍ଷା ନିରୀକ୍ଷା କରାଯାଇ ସେମାନଙ୍କୁ ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବା ସହ ସନ୍ଦିଗ୍ଧ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ପଦକ୍ଷେପ ନିଆଯିବା ଫଳରେ ଗତ ଏପ୍ରିଲଠାରୁ ଆକ୍ରାନ୍ତଙ୍କ ମୃତ୍ୟୁହାର ନିରନ୍ତର ହ୍ରାସ ପାଉଛି। ଏବେ ଏହା ୨.୨୩ ଶତାଂଶରେ ପହଞ୍ଚିଛି ।
ସରକାରୀଭାବେ ମିଳିଥିବା ତଥ୍ୟ ଅନୁସାରେ ମୋଟ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୧୦ ଲକ୍ଷ ଛୁଇଁବାକୁ ଯାଉଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୩୫ ହଜାର ସୁସ୍ଥ ହୋଇଛନ୍ତି। କରୋନା ମୃତ୍ୟୁହାରକୁ ଦେଖିଲେ ବର୍ତ୍ତମାନର ଏହି ୨.୨୩ ଶତାଂଶ ଗତ ଏପ୍ରିଲ ତୁଳନାରେ ସର୍ବନିମ୍ନ ଅଟେ।
ରୋଗ ନିୟନ୍ତ୍ରଣ ରଣନୀତି, ଚିକିତ୍ସା ସୁବିଧା, ରୋଗୀଙ୍କ ଯତ୍ନ ଓ ସେବା ବ୍ୟବସ୍ଥା ଏବଂ ହସ୍ପିଟାଲ ପରିଚାଳନା ମାନରେ ଉନ୍ନତି ଆଦି ପଦକ୍ଷେପ ଅଧିକରୁ ଅଧିକ ସଂଖ୍ୟକ ସଂକ୍ରମିତ ସୁସ୍ଥ ହେବାର ପ୍ରମୁଖ କାରଣ । କ୍ରମାଗତ ଷଷ୍ଠ ଦିନ ପାଇଁ ୩୦ ହଜାର କରୋନା ଆକ୍ରାନ୍ତ ଗୋଟିଏ ଦିନରେ ସାରା ଦେଶରେ ସୁସ୍ଥ ହୋଇଛନ୍ତି। ଆଜିସୁଦ୍ଧା ପ୍ରାୟ ୧୦ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୩୫ ହଜାର ୨୮୬ ରୋଗୀ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି।
ବର୍ତ୍ତମାନ ସୁଦ୍ଧା ଏହାକୁ ମିଶାଇ ମୋଟ ରୋଗମୁକ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୨୯ରେ ପହଞ୍ଚିଛି। ଏହାଫଳରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟଲାଭ ସଂଖ୍ୟା ୬୪.୫୧ଶତାଂଶରେ ପହଞ୍ଚିଛି ଯାହା ଏ କ୍ଷେତ୍ରରେ ସର୍ବାଧିକ।