Suna Besha: ଆଜି ହେଉଛି ଶ୍ରୀଜୀଉଙ୍କ ସୁନାବେଶ, ପ୍ରସ୍ତୁତି ଜାରି

Share this:

ପୁରୀ: Puri Suna Besha of Lord Jagannath, Lord Balabhadra and Devi Subadra ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସୁନାବେଶ। ରଥ ଉପରେ ମହଣ ମହଣ ସୁନାରେ ସଜେଇ ହେବେ ଦାରୁବ୍ରହ୍ମ ଚତୁର୍ଦ୍ଧାମୂର୍ତ୍ତି। ଭଗବାନଙ୍କର ଏହି ଦିବ୍ୟ ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେବାୟତମାନେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ରତ୍ନଭଣ୍ଡାରରୁ ସେବାୟତମାନେ ମହାପ୍ରଭୁଙ୍କର ସୁନା ଅଳଙ୍କାରଗୁଡ଼ିକ ରଥ ଉପରକୁ ନେଇଯାଇଛନ୍ତି। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟ ନିର୍ଘଣ୍ଟ ଅନୁସାରେ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଠାକୁରଙ୍କୁ ସୁନାବେଶ କରାଯିବ।

ଆଷାଢ ଶୁକ୍ଲ ହରିଶୟନ ଏକାଦଶୀ ତିଥିରେ ତିନିରଥ ଉପରେ ଶ୍ରୀଜୀଉଙ୍କୁ ଠାକୁରମାନଙ୍କୁ ସୁନାବେଶ କରାଯାଇଥାଏ। ଆଜି ଏଥିଲାଗି ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆଜି ସକାଳୁ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି, ଅବକାଶ, ଗୋପାଳ ବଲ୍ଲଭ ପରେ ସକାଳ ଓ ମଧ୍ୟାହ୍ନ ଧୂପ ଶେଷ ହୋଇଛି। ଠାକୁରମାନଙ୍କୁ ଆଜି ରଥରେ ଖଇକୋରା ଭୋଗ କରାଯାଉଛି। ଏହାପରେ ସଂଧ୍ୟା ଆଳତୀ ହୋଇ ଏକାଦଶୀ ସର୍ବାଙ୍ଗ ଚନ୍ଦନଲାଗି କରାଯିବା

ସୂଚନା ଅନୁସାରେ ଶ୍ରୀବଳଭଦ୍ର, ଶ୍ରୀପୟର, ଶ୍ରୀଭୂଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନକୁଣ୍ଡଳ, କମରପଟି, ଆଡକାନି, ଚନ୍ଦ୍ରିକା, ସେବତୀ ଓ ବାଘନଖ ମାଳି, ଅସ୍ତ୍ରହଳ ଓ ମୂଷଳ, ତିଳକ ଏବଂ ତ୍ରିଖଣ୍ଡିକା ଆଦି ଆଭୂଷଣ ପରିଧାନ କରିବେ। ସେହିପରି ଦେବୀ ସୁଭଦ୍ରାଙ୍କୁ କିରିଟି, ଓଡ଼ିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ସେବତୀମାଳି, ତଗଡ଼ି, କଦମ୍ବଓ ଘାଗଡା ମାଳିରେ ଆଦି ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀପୟର, ଶ୍ରୀଭୂଜ, କିରିଟି, ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଂଖ, କମରପଟି, କର୍ଣ୍ଣକୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ ସମେତ ଏକାଧିକ ମାଳା ଓ ସ୍ୱର୍ଣ୍ଣ ଆଭୁଷଣରେ ବିଭୂଷିତ କରାଯାଉଛି।

ଆଜି ସୁନାବେଶ ଦେଖିବା ପାଇଁ ରାଜ୍ୟ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭିଡ ନିୟନ୍ତ୍ରଣ ପାଇଁ ମରିଚକୋଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ୍‍ ନିର୍ମାଣ କରାଯାଇଛି। ଶ୍ରଦ୍ଧାଳୁମାନେ ଏହି ବ୍ୟାରିକେଡ୍‍ ଦେଇ ତିନିରଥ ଚାରିପଟେ ବୁଲି ଏହି ଦୁର୍ଲଭ ସୁନାବେଶ ଦର୍ଶନ କରିପାରିବେ। ରଥ ଓ ଅଳଙ୍କାରଗୁଡିକର ସୁରକ୍ଷା ଲାଗି ତିନିରଥ ଚାରିପଟେ କର୍ଡନ କରାଯାଇ ଫୋର୍ସଙ୍କ ସମେତ ବହୁ ସଂଖ୍ୟକ ସଶସ୍ତ୍ର ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଶ୍ରଦ୍ଧାଳୁମାନେ ଯେପରି ଭଲ ଭାବେ ସୁନାବେଶ ଦେଖିପାରିବେ ସେଥିଲାଗି ରଥ ସମ୍ମୁଖରେ ଅତି ଉଜ୍ଜ୍ୱଳ ଆଲୋକ ଲଗାଯାଇଛି। ସୁନାବେଶ ଦର୍ଶନ ପାଇଁ ଭକ୍ତମାନେ ଯେପରିକି ଆଦୌ ଅସୁବିଧାର ସାମ୍ନା ନ କରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ରାତି ପ୍ରାୟ ୧୧ ଟା ପର୍ଯ୍ୟନ୍ତ ସୁନାବେଶ ଦର୍ଶନ ଉପଲବ୍ଧ ହେବ। ବଡଦାଣ୍ଡରେ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି।

ସୂଚନାଯୋଗ୍ୟ, ଶ୍ରୀଜିଉମାନଙ୍କର ବର୍ଷକୁ ୬ ଥର ସୁନାବେଶ ନୀତି ଅନୁଷ୍ଠିତ ହୋଇଥାଏ। ରଥ ଉପରେ ଥରେ ସୁନାବେଶ ହୋଇଥାନ୍ତି। ଏହା ବାହୁଡ଼ା ଯାତ୍ରାର ପରଦିନ ଏକାଦଶୀ ତିଥିରେ ଶ୍ରୀଜିଉମାନଙ୍କୁ ରଥ ଉପରେ ସୁନା ବେଶ କରାଯାଇଥାଏ। ଏଥିସହିତ ଦଶହରା, କୁମାରପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମାରେ ମଧ୍ୟ ମହାପ୍ରଭୁଙ୍କୁ ସୁନାବେଶ କରାଯାଏ।

Read Also | Odisha Weather Report: ସୃଷ୍ଟି ହେଲା ଲଘୁଚାପ, ୪ ଦିନ ପ୍ରବଳ ବର୍ଷା

Share this:

Leave a Reply

Your email address will not be published. Required fields are marked *