ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ଉଦ୍‌ଘାଟିତ, ଏଥର ନୂଆ ସ୍ଲୋଗାନ ‘ଗନ୍ଦଗୀ ମୁକ୍ତ ଭାରତ’

Share this:

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି । ଏହା ସ୍ୱଚ୍ଛଭାରତ ମିଶନ ସଂକ୍ରାନ୍ତ ଏକ ଇଣ୍ଟରାକ୍‌ଟିଭ ଅଭିଜ୍ଞତା କେନ୍ଦ୍ର। ନୂଆଦିଲ୍ଲୀସ୍ଥିତ ରାଜଘାଟର ଗାନ୍ଧୀସ୍ମୃତି ଓ ଦର୍ଶନ ସମିତିଠାରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରକୁ ମହାତ୍ମା ଗାନ୍ଧୀଙ୍କ ପ୍ରତି ଏକ ସ୍ଥାୟୀ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପ୍ରତିଷ୍ଠା କରାଯାଇଛି। ୨୦୧୭ ଏପ୍ରିଲ ୧୦ରେ ଗାନ୍ଧୀଜୀଙ୍କ ଚମ୍ପାରଣ ସତ୍ୟାଗ୍ରହର ଶତବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଏହି କେନ୍ଦ୍ରର ପ୍ରତିଷ୍ଠା ଘୋଷଣା କରିଥିଲେ। ଜଳଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରତନଲାଲ କଟାରିଆ ଏହି ଅବସରରେ ଉପସ୍ଥିତ ଥିଲେ।

ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରରେ ଉଭୟ ଡିଜିଟାଲ ଏବଂ ବାହ୍ୟ ଢାଞ୍ଚା ରହିଛି। ଏଥିରେ ସ୍ୱଚ୍ଛତା କ୍ଷେତ୍ରରେ ଭାରତର ପରିବର୍ତ୍ତନ ସଂକ୍ରାନ୍ତ କାହାଣୀ ଓ ତଥ୍ୟାବଳୀ ଊପଲ୍‌ବଧ। ୨୦୧୪ ରେ ୫୦କୋଟିରୁ ଅଧିକ ଭାରତୀୟ ବାହାରେ ମଳତ୍ୟାଗ କରୁଥିବାବେଳେ ୨୦୧୯ ରେ ଭାରତ କିଭଳି ଏଥିରୁ ମୁକ୍ତ ହୋଇଛି ସେ ବିଷୟରେ ଏଥିରେ ଦର୍ଶାଯାଇଛି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରର ୩ ଟି ପ୍ରମୁଖ ବିଭାଗ ବୁଲି ଦେଖିଛନ୍ତି। ଏକ ନମ୍ବର ହଲ୍‌ରେ ଏକ ଅଭିନବ ୩୬୦ ଡିଗ୍ରୀର ଅଡିଓ ଭିଜୁଆଲ ଇମର୍‌ସିଭ୍‌ ଶୋ’ର ବ୍ୟବସ୍ଥା କରାଯାଇଛି। ଏଥିରେ ଦେଶର ସ୍ୱଚ୍ଛ ଭାରତ ଯାତ୍ରାର ଗତି ଓ ଉପଲବ୍‌ଧି ସ୍ଥାନ ପାଇଛି। ତାପରେ ସେ ଦୁଇ ନମ୍ବର ହଲ୍‌କୁ ଯାଇ ଅନେକ ଇଣ୍ଟରାକ୍‌ଟିଭ ଏଲ୍‌ଇଡି ପ୍ୟାନେଲ, ହଲୋଗ୍ରାମ ବକ୍ସ, ଗେମ୍‌ସ ଏବଂ ଆହୁରି ଅନେକ କଥା ଏସ୍‌ବିଏମ୍‌ରେ ଦେଖିଥିଲେ।

ସମଗ୍ର ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ବୁଲି ଦେଖିବା ପରେ ପ୍ରଧାନମନ୍ତ୍ରୀ ଏହାର ସ୍ମରଣିକା କେନ୍ଦ୍ରକୁ ଯାଇଥିଲେ। ଏହା ପରେ ସେ କେନ୍ଦ୍ରର ଆମ୍ପି ଥିଏଟରରେ ଦିଲ୍ଳୀର ୩୬ଜଣ ସ୍କୁଲ ପିଲାଙ୍କ ସହ ମତବିନିମୟ କରିଥିଲେ। ଏଥିରେ ସାମାଜିକ ଦୂରତ୍ୱ ରକ୍ଷା ଓ ଅନ୍ୟାନ୍ୟ ନୀତିନିୟମ ପାଳନ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ସହିତ ପିଲାମାନେ ନିଜ ନିଜର ଘର, ସ୍କୁଲ ଏବଂ ଗାଁର ସ୍ୱଚ୍ଛତା କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରି  ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପ୍ରଧାନମନ୍ତ୍ରୀଙ୍କ ପଚାରିଥିଲେ ଯେ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରର କେଉଁ ଜିନିଷଟି ତାଙ୍କୁ ସବୁଠୁ ଭଲ ଲାଗୁଛି ପ୍ରଧାନମନ୍ତ୍ରୀ ଏହାର ଉତ୍ତରରେ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କୁ ଅର୍ପିତ ହୋଇଥିବା ସ୍ୱଚ୍ଛ ଭାରତ ମିଶନର ପ୍ରେରଣା ତାଙ୍କୁ ସବୁଠୁ ବେଶ୍‌ ଭଲ ଲାଗିଛି।

ପିଲାମାନଙ୍କ ସହ କଥାବାର୍ତ୍ତା କରିବା ପରେ ପ୍ରଧାନମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ଭାଷଣ ଦେଇଥିଲେ। ସ୍ୱଚ୍ଛ ଭାରତ ମିଶନର ସ୍ମୃତିଚାରଣ କରି ସେ କହିଥିଲେ ଯେ ଏହି ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ମହାତ୍ମା ଗାନ୍ଧୀଙ୍କ ପାଇଁ ରାଷ୍ଟ୍ରର ଏକ ସ୍ଥାୟୀ ଶ୍ରଦ୍ଧାଞ୍ଜଳି। ସେ ମଧ୍ୟ ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିବାରୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକୁ ଭବିଷ୍ୟତରେ ଅବ୍ୟାହତ ରଖିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ଆମର ଦୈନନ୍ଦିନ ଜୀବନରେ, ବିଶେଷକରି କରୋନା ଭୂତାଣୁ ବିରୋଧୀ ଲଢେଇ ସମୟରେ ସ୍ୱଚ୍ଛତାକୁ ବିଶେଷ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ କହିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଗନ୍ଦଗୀ ମୁକ୍ତ ଭାରତ ଅଭିଯାନ ଆରମ୍ଭ କରିଥିଲେ। ସ୍ୱାଧୀନତା ଦିବସ ଉପଲକ୍ଷେ ସପ୍ତାହ ବ୍ୟାପୀ ଏହି ସ୍ୱତନ୍ତ୍ର ଅଭିଯାନ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ସ୍ୱଚ୍ଛତାକୁ ଏକ ଜନଆନ୍ଦୋଳନରେ ପରିଣତ କରିବାର କାର୍ଯ୍ୟକ୍ରମ ଉଭୟ ସହର ଓ ଗ୍ରାମାଞ୍ଚଳରେ ୭ଦିନ ଧରି ଅନୁଷ୍ଠିତ ହେବ।

Share this: