ଗରିବଙ୍କ ସମେତ ସମସ୍ତଙ୍କର ଭଲରେ ବଞ୍ଚିବା ଏବଂ ଉତ୍ତମ ଜୀବନଯାପନ କରିବା ଏକ ଅଧିକାର : ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏକ ଭିଡିଓ କନ୍ଫରେନ୍ସ ବ୍ୟବସ୍ଥା ମାଧ୍ୟମରେ ମଣିପୁର ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ ସାରା ଦେଶ ଏବେ କୋଭିଡ-୧୯ ବିରୋଧରେ ନିରନ୍ତର ଲଢେଇ ଜାରି ରଖିଥିବାବେଳେ ପୂର୍ବ ଏବଂ ଉତ୍ତରପୂର୍ବ ଭାରତ ଦ୍ୱୈତ ଆହ୍ୱାନର ସମ୍ମୁଖୀନ ହୋଇଛି। କରୋନା ସହିତ ଏବେ ଏ ଅଞ୍ଚଳରେ ବର୍ଷା ଓ ବନ୍ୟା ବିତ୍ପାତ ଦେଖାଦେଇଛି। ବନ୍ୟା ଓ ବର୍ଷା ଫଳରେ ଅନେକ ଲୋକ ବାସହୀନ ହେଉଥିବାବେଳେ ବିଭିନ୍ନ ସ୍ଥାନରେ ଜୀବନହାନୀ ମାନ ଘଟୁଛି।
ସେ କହିଛନ୍ତି ଯେ ଲକ୍ଡାଉନ କାଳରେ ମଣିପୁର ସରକାର ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଥିଲେ। ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଥିଲେ। ମଣିପୁରର୨୫ ଲକ୍ଷ ଦରିଦ୍ର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଛି। ସେହିଭଳି ରାଜ୍ୟରେ ଦେଢ ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ମାଗଣା ରୋଷେଇ ଗ୍ୟାସ୍ ସିଲିଣ୍ଡର ପ୍ରଦାନ କରାଯାଇଛି ।
ଜଳଯୋଗାଣ ପ୍ରକଳ୍ପ ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୩ ହଜାର କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ଜଳସଂକଟ ଦୂର ହେବ। ଏହାଦ୍ୱାରା ମହିଳାମାନେ ବିଶେଷଭାବେ ଉପକୃତ ହେବେ ଏବଂ ସେମାନଙ୍କୁ ଜଳ ଚିନ୍ତାରୁ ବଡ ଆଶ୍ୱସ୍ତି ମିଳିବ। ଶ୍ରୀ ମୋଦୀ କହିଛନ୍ତି ଯେ ଗ୍ରେଟର ଇମ୍ଫାଲ ସହରକୁ ଜଳଯୋଗାଣ ସହିତ ଏହି ଯୋଜନାରେ ରାଜ୍ୟର ୨୫ଟି କ୍ଷୁଦ୍ର ସହର ଏବଂ୧୭ ଶହ ଗ୍ରାମକୁ ପାନୀୟ ଜଳଯୋଗାଣ ସୁବିଧା ଯୋଗାଇ ଦିଆଯିବ। ଆସନ୍ତା ୨୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପର ଡିଜାଇନ ପ୍ରସ୍ତୁତ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ନିୟୁତ ନିୟୁତ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳର ସୁବିଧା ନିଜ ଘରେ ମିଳିବ ଏବଂ ଏହାଦ୍ୱାରା ହଜାର ହଜାର ଲୋକ ନିଯୁକ୍ତି ସୁବିଧା ପାଇବେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତବର୍ଷ ଆରମ୍ଭ ହୋଇଥିବା ଜଳ ଜୀବନ ମିଶନ ମାଧ୍ୟମରେ ୧୫ କୋଟି ଘରକୁ ପାଇପ ଯୋଗେ ଜଳ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି। ଏବେ ଏହି ଯୋଜନାରେ ପ୍ରତିଦିନ ଏକଲକ୍ଷ ଘରକୁ ପାଇପ ଜଳ ସଂଯୋଗ ସୁବିଧା ଦିଆଯାଉଛି । ଏଥିରେ ଜନସାଧାରଣଙ୍କର ସହଯୋଗ ରହିଛି। ସେ କହିଛନ୍ତି ଯେ ଉତ୍ତମ ଜୀବନ ଧାରଣ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଣ ଅପରିହାର୍ଯ୍ୟ। ଏହା ଯେତେ ସହଜ ହେବ ଲୋକଙ୍କ ଜୀବନ ଧାରଣର ମାନ ସେତେ ବଢିବ। ଭଲରେ ବଞ୍ଚିବା ଏବଂ ଏଥିପାଇଁ ସୁବିଧା ପାଇବା ଗରିବଙ୍କ ସମେତ ସମସ୍ତଙ୍କର ଏକ ଅଧିକାର।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜୀବନ ଧାରଣକୁ ସହଜ କରି ଏହାର ମାନରେ ଉନ୍ନତି ଆଣିବା ପାଇଁ ଗତ ୬ ବର୍ଷ ମଧ୍ୟରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଗରିବ ଲୋକଙ୍କ ପାଇଁ ଏ କ୍ଷେତ୍ରରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ମଣିପୁର ସମେତ ସମଗ୍ର ଭାରତ ଏବେ ବାହ୍ୟ ମଳତ୍ୟାଗ ମୁକ୍ତ ହୋଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ରନ୍ଧନ ଗ୍ୟାସ୍ ଏବେ ଦରିଦ୍ରରୁ ଦରିଦ୍ରତମ ପରିବାରେ ପହଞ୍ଚିପାରିଛି । ପ୍ରତ୍ୟେକ ଗାଁକୁ ଉତ୍ତମ ସଡ଼କ ସଂଯୋଗ ବ୍ୟବସ୍ଥା କରାଯାଇଛି । ନିରାଶ୍ରୟମାନଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି । ଏବେ ଦେଶର ପ୍ରତ୍ୟେକ ଘରକୁ ନିରାପଦ ପାନୀୟ ଜଳ ଯୋଗାଇ ଦେବା ପାଇଁ ମିଶନ ମୋଡ୍ରେ କାର୍ଯ୍ୟ ଚଲିଛି ।