ଭୁବନେଶ୍ଵର: ଓଡ଼ିଆ ସିନେଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି। ଗତ କଲି ସନ୍ଧ୍ୟାରେ ହଠାତ ତାଙ୍କର ଅବସ୍ଥା ଗୁରୁତର ହେବା ରୁ ତାଙ୍କୁ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା।
ବିଜୟ ମହାନ୍ତି ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ସିନେମା ପରଦାରେ କନ୍ଦାଇବା ପରେ ଆଜି କିନ୍ତୁ ସତରେ ସମସ୍ତଙ୍କୁ କନ୍ଦାଇ ଚାଲିଗଲେ। ଦୀର୍ଘ ଦିନ ଧରି ପ୍ରଥମେ ହାଇଦ୍ରାବାଦ ପରେ ଭୁବନେଶ୍ଵର ରେ ରୋଗଶଯ୍ୟାରେ ପଡ଼ିବା ପରେ ଗତ କଲି ରାତି ୯ଟାରେ ଭୁବନେଶ୍ୱର କେୟାର ହସ୍ପିଟାଲ୍ରେ ତାଙ୍କର ପରଲୋକ ହୋଇଯାଇଛି। ସେ ଥିଲେ ଜଣେ ପୋଖତ ଅଭିନେତା ,ଯେ ସବୁ ଚରିତ୍ର ରେ ଅଭିନୟ କରିପାରୁଥିଲେ। ପ୍ରଥମେ ଖଳନାୟକ, ନାୟକ ,ଚରିତ୍ର ଅଭିନେତା ଏବଂ ହାସ୍ୟଅଭିନେତା ଏମିତି ବିଭିନ୍ନ ଭୂମିକାରେ ଚଳଚ୍ଚିତ୍ରରେ ଅଭିନୟ କରି ବେଶ ପରିଚିତ ଥଲେ। ନିଜର ଜୀବନ୍ତ ଅଭିନୟର ଯାଦୁରେ ଦୀର୍ଘ ଛଅ ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ରପ୍ରେମୀଙ୍କୁ ବାନ୍ଧି ରଖିଥିଲେ। ତାଙ୍କ ଚିର ବିଦାୟ ଖବର ପ୍ରଚାରିତ ହେବା ପରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।
ଶ୍ରୀ ବିଜୟ ମହାନ୍ତି ୧୯୫୦ ମସିହାରେ କେନ୍ଦ୍ରାପଡ଼ାର ପାଣ୍ଡିରି ଗ୍ରାମରେ ରେ ଜନ୍ମ ଗ୍ରହଣ କରିଥିଲେ। ପରେ ବାରିପଦାର ଏମ୍କେସି ହାଇସ୍କୁଲ୍ରେ ସ୍କୁଲ୍ ଶିକ୍ଷା ଏବଂ ଏମ୍ପିସି କଲେଜରେ ଶିକ୍ଷା ସମାପ୍ତ କରିଥିଲେ। ସେ ପ୍ରଥମ ଓଡ଼ିଆ ଭାବେ ଜାତୀୟ ନାଟ୍ୟ ବିଦ୍ୟାଳୟ (National School Of Drama)ରେ ସ୍ନାତକ କରିବା ପାଇଁ ଦିଲ୍ଲୀ ଚାଲି ଥିଲେ। ସେଠାରେ ତାଙ୍କର ବଲିଉଡ୍ର ବରିଷ୍ଠ ଅଭିନେତା ନାସିରୁଦ୍ଦିନ ସାହ,ଓମ୍ ପୁରୀ ଓ ରାଜ ବବ୍ବର ପ୍ରମୁଖ ସହପାଠୀ ଥିଲେ। ଏହାପରେ ସେ ଓଡ଼ିଶା ଫେରି ୧୯୭୭ ମସିହାରେ ‘ଚିଲିକା ତୀରେ’ ଫିଲ୍ମରେ ଅଭିନୟ ସହ କରିଥିଲେ ଏବଂ ପ୍ରଥମ ଚଳଚ୍ଚିତ୍ର ସେହିବର୍ଷ ଜାତୀୟ ପୁରସ୍କାର ଲାଭ କଲା। ସେ ଉତ୍କଳ ସଂଗୀତ ନାଟକ ମହାବିଦ୍ୟାଳୟ ରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ।
ଶ୍ରୀ ମହାନ୍ତି ନାଗଫାଶ, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ ଓ ଚକା ଆଖି ସବୁ ଦେଖୁଛି ,ଆରତି, ମମତା ମାଗେ ମୂଲ, ଏଇ ଆମ ସଂସାର, ଆମ ଘର ଆମ ସଂସାର, କି ହେବ ଶୁଆ ପୋଷିଲେ, କୋଟିଏ ମଣିଷ ଗୋଟିଏ ଜଗା, ଭୀଷ୍ମ ପ୍ରତିଜ୍ଞା, ଭାଇ ହେଲା ଭଗାରୀ, ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା, ରାକ୍ଷୀ ଭିଜିଗଲା ଆଖି ଲୁହରେ, ଆଇ ଲଭ୍ ମାଇ ଇଣ୍ଡିଆ ଏମିତି ଅନେକ ଫିଲ୍ମରେ ଅଭିନୟ କରିଥିଲେ। ଏକ ମାତ୍ର ସିନେମା ‘ଭୁଲି ହୁଏନା’ ନିର୍ଦେଶନା ଦେଇଥିଲେ। ଦୂରଦର୍ଶନରେ ବହୁ ଲୋକପ୍ରିୟ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲ। ସେ ୨୦୧୪ରେ ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପାଇଥିଲେ। ଏଥିସହିତ ୬ଥର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।