Khelo India ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ବିକାଶ ପାଇଁ ଖର୍ଚ୍ଚ ହେବ ୧୨.୦୨ କୋଟି ଟଙ୍କା: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ
ନୂଆଦିଲ୍ଲୀ: ଖେଲୋ ଇଣ୍ଡିଆ (Khelo India) କାର୍ଯ୍ୟକ୍ରମରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଉନ୍ନୟନ କାର୍ଯ୍ୟ କରାଯିବ। ଦେଶରେ ପ୍ରଥମ ପର୍ଯ୍ୟାୟରେ ଯେଉଁ ୮ ଟି ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ରର ବିକାଶ କରାଯିବ ସେଥିମଧ୍ୟରେ କଳିଙ୍ଗ ଷ୍ଟାଡିୟମ ଅନ୍ତର୍ଭୁକ୍ତ।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସମେତ ୮ ଟି ଏଭଳି କେନ୍ଦ୍ରକୁ ବଛାଯାଇଛି। ଏହାଛଡା ମିଜୋରାମ (Mizoram), ତେଲଙ୍ଗାନା, ମଣିପୁର (Manipur), ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ ଓ କେରଳରେ ଏଭଳି ଗୋଟିଏ ଗୋଟିଏ କେନ୍ଦ୍ର ବିକଶିତ କରାଯିବ। ଖେଲୋ ଇଣ୍ଡିଆ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଏକ ପ୍ରମୁଖ କାର୍ଯ୍ୟକ୍ରମ ଏବଂ ଏହା ମାଧ୍ୟମରେ ପ୍ରତିଭା ଚିହ୍ନଟ ଓ ତାହାର ବିକାଶ କାର୍ଯ୍ୟକ୍ରମ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। କଳିଙ୍ଗ ଷ୍ଟାଡିୟମର ବିକାଶ ପାଇଁ ୧୨.୦୨ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୪ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତୀ ଶ୍ରୀ କିରେନ୍ ରିଜିଜୁ (Kiren Rijjiju) କହିଛନ୍ତି।
ଏହି ଷ୍ଟାଡିୟମର ବିକାଶ ପାଇଁ ଯେଉଁସବୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ ସେଥିରେ ଭିତ୍ତିଭୂମି ଉନ୍ନୟନ, କ୍ରୀଡା ବିଜ୍ଞାନ କେନ୍ଦ୍ର ସ୍ଥାପନ, ଉତ୍କୃଷ୍ଟମାନର ପ୍ରଶିକ୍ଷକ ନିଯୁକ୍ତି, କ୍ରୀଡ଼ା ବିଜ୍ଞାନ ମାନବ ସମ୍ବଳ ବା ଫିଜିଓଥେରାପିଷ୍ଟ ତଥା ସାମର୍ଥ୍ୟ ଓ ବ୍ୟବସ୍ଥା ବିଶେଷଜ୍ଞ ଆଦି ଏଥିରେ ଅନ୍ତର୍ଭୁକ୍ତ (Physical Therapists)। ଏହି ବିକାଶ ଯୋଜନାରେ କ୍ରୀଡାବିତ୍ମାନଙ୍କୁ ଉଚ୍ଚମାନର ଉପକରଣ ଯୋଗାଇ ଦିଆଯିବ ଏବଂ ଏକାଡେମୀରେ ହାଇପରଫର୍ମାନ୍ସ ମ୍ୟାନେଜରମାନଙ୍କ ଜରିଆରେ କ୍ରୀଡା ବିଜ୍ଞାନ ଏବଂ ପ୍ରଦର୍ଶନ ପରିଚାଳନା କ୍ଷେତ୍ରରେ ଉତ୍ତମମାନ ନିଶ୍ଚିତ କରିବା ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।
କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି ଯେ ଦେଶରେ ଏକ ଦୃଢ ଭିତ୍ତିଭୂମି ସ୍ଥାପନ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ଅଲିମ୍ପିକ୍ (Olympic) ପଦକ ଜିତିବା ଭଳି କ୍ରୀଡାବିତ୍ ସୃଷ୍ଟି କରିବା ଏହାର ଲକ୍ଷ୍ୟ। କ୍ରୀଡାବିତ୍ଙ୍କ ଅଭ୍ୟାସ ପାଇଁ ଏସବୁ କେନ୍ଦ୍ରରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସୃଷ୍ଟି କରାଯିବ ଏବଂ ଅଭ୍ୟାସ ପାଇଁ କ୍ରୀଡାବିତ୍ଙ୍କୁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ୨୦୨୮ ରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ କ୍ରୀଡାରେ ଭାରତ ଯେପରି ପଦକ ତାଲିକାରେ ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ରହେ ସେହି ଲକ୍ଷ୍ୟ ରଖି ଏହି ଉଦ୍ୟମ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।
Also Read :
ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ର ୪ର୍ଥ ସଂସ୍କରଣ ଏଥର ହରିୟାଣା ରେ
IPL2020 କାର୍ଯ୍ୟସୂଚୀ ଜାରି,ପ୍ରଥମ ମୁକାବିଲା ସିଏସକେ vs ମୁମ୍ବାଇ ଇଣ୍ଡିଆନ୍ସ