ଜୟଶ୍ରୀଗଣେଶ : ନିର୍ମଳାବାଳା ମିଶ୍ର, ଯାଜପୁର
ଜୟଶ୍ରୀଗଣେଶ
✍️ ନିର୍ମଳାବାଳା ମିଶ୍ର, ଯାଜପୁର

ଜୟଶ୍ରୀଗଣେଶ ଗଉରୀ ନନ୍ଦନ
ଜୟ ବିଘ୍ନବିନାଶନ,
ଜୟ ଗଣନାଥ ଇନ୍ଦୁର ବାହନ
ଜୟହେ ଗଜବଦନ।
ମସ୍ତକେ ସିନ୍ଦୂର ଦିଶେ ଶୋଭାବନ
କୋଟିସୂର୍ଯ୍ୟ ସମ ଆଭା,
ହସ୍ତେ ପାଶ ଆଉ ଅଙ୍କୁଶ ବିରାଜେ
ଅଗ୍ରପୂଜ୍ୟ ଗଣଦେବା ।
ଜ୍ଞାନୀ ଗୁରୁ ବୋଲି ଦେବତା ବରିଲେ
ସିଦ୍ଧି ବୁଦ୍ଧି ଜ୍ଞାନ ଦାତା,
ତ୍ରିଭୁବନେ କେହି ନୁହେଁ ତବସରି
ହେ ସୁଜ୍ଞାନୀ ସର୍ବଜ୍ଞାତା ।
ନୃତ୍ୟଗୀତେ ସମ ନୁହନ୍ତି ନାରଦ
ସର୍ବଗୁଣେ ବିଶାରଦ,
ହେ ଗିରିଜା ସୁତ ସିନ୍ଦୂର ଶୋଭିତ
ମହାକାୟ ଶୁଭପ୍ରଦ।
ଆହେ ବିଘ୍ନହର୍ତ୍ତା ତବକୃପା ବଳେ
ହୁଏ ବିଘ୍ନ ବିନାଶନ,
ଜଗତ ମଙ୍ଗଳଦାୟକ ପ୍ରଭୁହେ!
ଅଜ୍ଞାନ ଦୁଃଖ ନାଶନ।
ଅଜ୍ଞାନ ତିମିର ଘୋଟିଛି ଜଗତେ
ଆହେ ପ୍ରଭୁ ଗଜାନନ,
ଅଜ୍ଞାନତା ନାଶି ମାନବ ହୃଦୟେ
ଭରିଦିଅ ଦିବ୍ୟଜ୍ଞାନ ।
ମାନବ ହୃଦରୁ ଲିଭି ଯାଇଅଛି
ସ୍ନେହ ପ୍ରେମ ଦୟା ଭାବ,
ସ୍ୱାର୍ଥଲୋଭ ବଶେ ଅନ୍ୟର ଅନିଷ୍ଟ
କରେ ଅଜ୍ଞାନ ମାନବ ।
ମାନବ ଚେତନା ମାନବୀୟ ଭାବ
ଏବେ ପ୍ରଭୁ!ଲୁପ୍ତ ପ୍ରାୟ,
ସାରା ଜଗତରେ ଘୋଟିଛି ଅଶାନ୍ତି
ବଢୁଛି ଖାଲି ଅନ୍ୟାୟ ।
ସ୍ୱାର୍ଥଲୋଭେ ଆଜି ମାନବର ମନ
ହେଉଛି ଅଣଆୟତ୍ତ,
ସ୍ନେହ ପ୍ରେମ ତ୍ୟାଗ ଦୟା କ୍ଷମା ଗୁଣ
ହୋଇ ଯାଉଅଛି ଲୁପ୍ତ ।
ବିବେକ ବୈରାଗ୍ୟ ନାଶ ହୋଇ ଏବେ,
ବଢ଼ିଛି ଭୋଗ ଲାଳସା,
“ମୁଁ ଓ ମୋହର”ଭାବନାରେ ରହି
ମାନବ ମେଣ୍ଟାଏ ତୃଷା ।
ଆହେ ଜ୍ଞାନଦାତା ଗଣପତି ବାବା!
ଏତିକି ମିନତି ଘେନ,
ସଭିଙ୍କ ହୃଦୟେ ଭରିଦିଅ ପ୍ରଭୁ!
ଶୁଭବୁଦ୍ଧି ଦିବ୍ୟଜ୍ଞାନ ।
ଅଦୃଶ୍ୟ ଭୂତାଣୁ”କୋରୋନା”କବଳେ
ଜଗତବାସୀ ଆକ୍ରାନ୍ତ,
ଅସଂଖ୍ୟ ଲୋକଙ୍କ ଜୀବନ ନେଲାଣି
ସେ କୋରୋନା ଯମଦୂତ ।
ତବ ଶ୍ରୀଚରଣେ ଅଶେଷ ପ୍ରଣାମ
କରୁଅଛି ସମର୍ପଣ,
ଆହେ ବିଘ୍ନହର୍ତ୍ତା ରୋକିଦିଅ ବାରେ
ଏହି ରୋଗ ସଂକ୍ରମଣ ।