ହରିଦାସପୁର-ପାରାଦୀପ ରେଳପଥ ସଂପୂର୍ଣ୍ଣ ହେବା ପ୍ରସଙ୍ଗରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this:
  • ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉଦ୍ଘାଟନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ

ନୂଆଦିଲ୍ଲୀ : ବହୁ ପ୍ରତିକ୍ଷୀତ ହରିଦାସପୁର-ପାରାଦୀପ ୮୨ କିମି ରେଳପଥ ସଂପୂର୍ଣ୍ଣ ହେବା ସ୍ଥିତି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭବ୍ୟ ଉପସ୍ଥିତିରେ ଏହି ପ୍ରକଳ୍ପର ଉଦଘାଟନ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହା ସହ ଏହି ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ତୁରନ୍ତ ଆରମ୍ଭ କରିବା ପାଇଁ କେନ୍ଦ୍ରରେଳମନ୍ତ୍ରୀଙ୍କ ବ୍ୟକ୍ତିଗତ ଆଗ୍ରହର ସହ ନେଇ ଏହାର କାମ କରିବାକୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ। ଏହି ଯାତ୍ରୀବାହୀ ଟ୍ରେନ୍ ଚାଲିବା ସହ କେନ୍ଦ୍ରାପଡ଼ା ଜିଲ୍ଲାରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ସର୍ବ ପ୍ରଥମ ଥର ହେବ। କେନ୍ଦ୍ରାପଡ଼ାରେ ରେଳ ଚଳାଚଳ ପାଇଁ ଏହି ଜିଲ୍ଲା ବାସୀଙ୍କର ଦୀର୍ଘ ବର୍ଷର ସ୍ୱପ୍ନ ରହିଛି।କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କର ଏହି ସ୍ୱପ୍ନ ପୂରଣ ପାଇଁ ରେଳମନ୍ତ୍ରୀ ତ୍ୱରିତ ପଦକ୍ଷେପ ନେବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ବିଗତ ବର୍ଷ ମାନଙ୍କରେ ଅନେକ ଜନପ୍ରତିନିଧି, ସାଂସଦ ଏହି ପ୍ରକଳ୍ପ ପାଇଁ ନିଜର ଇଚ୍ଛା ଦେଖାଇବା ସହ ତାଙ୍କ ଉପସ୍ଥିତିରେ ପ୍ରକଳ୍ପର ଶୀଘ୍ର ସମାପ୍ତ ପାଇଁ ରେଳ ମନ୍ତ୍ରଣାଳୟକୁ ନିବେଦନ କରିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ନେବା ପରେ ପୂର୍ବବର୍ତ୍ତୀ ସରକାର ସମୟରେ ଥିବା ସମସ୍ତ ବାଧାବିଘ୍ନକୁ ଦୂର କରି ଏହାକୁ ସର୍ବାଧିକ ଗୁରୁତ୍ୱ ଦେଲେ। ପ୍ରଗତି ପ୍ରକଳ୍ପରେ ଏହାକୁ ସାମିଲ କରି ଖୋଦ୍ ନିଜେ ଏହି ପ୍ରକଳ୍ପ ଅଗ୍ରଗତିର ନିୟମିତ ବ୍ୟବଧାନରେ ସମୀକ୍ଷା କରିବା କାରଣରୁ ପ୍ରକଳ୍ପର କାମ ତ୍ୱରାନ୍ୱିତ ହେଲା।

ଏହାବ୍ୟତିତ ଦୀର୍ଘ ସମୟ ଧରି ପଡି ରହିଥିବା ଏହି ପ୍ରକଳ୍ପରେ ରେଳ ମନ୍ତ୍ରଣାଳୟ ସମେତ କେନ୍ଦ୍ର ରେଳମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ କରିଥିବାରୁ ଶ୍ରୀ ପ୍ରଧାନ ପିୟୂଷ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଏହି ପ୍ରକଳ୍ପ ପାଇଁ ଥିବା ଜମି ଅଧିଗ୍ରହଣ, ଆଇନ୍ ଶୃଙ୍ଖଳା ମାମଲାରେ ମଧ୍ୟ ଓଡିଶା ସରକାର ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ୮୨ କିମିର ଏହି ପ୍ରକଳ୍ପ ରାଜ୍ୟର ଆର୍ଥିକ ପ୍ରଗତିକୁ ତ୍ୱରାନ୍ୱିତ କରିବ। ଦୈତାରୀ-ବଂଶପାଣୀ ଖଣି ଅଞ୍ଚଳ ସହ ପାରାଦୀପର ଦୂରତ୍ୱକୁ ଏହି ରେଳପଥ ଅଧା କମାଇ ଦେବ।ପ୍ରମୁଖ ଖଣିଜ ଅଞ୍ଚଳ ଯାଜପୁର ଓ କେନ୍ଦୁଝର ସହ ମୁଖ୍ୟ ସଂଯୋଗ ପଥ ହେବା ସହ ଦେଶର ପ୍ରମୁଖ ଇସ୍ପାତ ଉତ୍ପାଦନର ପେଣ୍ଠସ୍ଥଳି କଳିଙ୍ଗନଗର ସହ ବଡ ଭୂମିକାରେ ସଂଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୧୯୯୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କରକମଳରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡ଼ିଥିଲା। ଏହି ପ୍ରକଳ୍ପ ଜଗତସିଂହପୁର-କେନ୍ଦ୍ରାପଡ଼ା-ଯାଜପୁର ଜିଲ୍ଲାବାସୀଙ୍କ କେବଳ ରେଳ ଲାଇନ ସ୍ୱପ୍ନ ପୂରଣ ପାଇଁ ବଡ଼ ପଦକ୍ଷେପ ନଥିଲା ବରଂ ଏହି ଅଞ୍ଚଳର ଆର୍ଥିକ ପ୍ରଗତି ପାଇଁ ଏକ ଐତିହାସିକ ପଦକ୍ଷେପ ଥିଲା।

ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରାକୃତିକ ଗ୍ୟାସ ପାଇପଲାଇନ, ଇଣ୍ଡିଆନ ଅଏଲ ବିଶୋଧନାଗାରର ସଂପ୍ରସାରଣ ଓ ପେଟ୍ରୋକେମିକାଲ କମ୍ପ୍ଲେକ୍ସ, ପାରାଦୀପ ପ୍ଲାଷ୍ଟିକ୍ ପାର୍କ ପରି ବିଭିନ୍ନ ପ୍ରକଳ୍ପ ସାହାଯ୍ୟରେ ପୂର୍ବ ଭାରତର ବ୍ଲୁ ଇକନୋମୀର ପ୍ରାଣକେନ୍ଦ୍ର ହେବାକୁ ଯାଉଥିବା ବନ୍ଦର ସ୍ମାର୍ଟସିଟି ପାରାଦୀପକୁ ବିକଶିତ କରାଯାଉଛି। ଆଗାମୀ ବର୍ଷରେ ଉର୍ଜା ଓ ମାଲ ପରିବହନ କ୍ଷେତ୍ରରେ ଏହି ରେଳ ଲାଇନ ପାରାଦୀପ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ସହ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ପୂରଣ କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

From The Web

Share this: