କୋଜିକୋଡେ : ଲ୍ୟାଣ୍ଡିଙ୍ଗ ସମୟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାଗ୍ରସ୍ତ; ପାଇଲଟ୍ ମୃତ, ଯାତ୍ରୀ ଆହତ

Share this:

କେରଳ : କୋଜିକୋଡେସ୍ଥିତ କରିପୁର ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପେସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ବିମାନବନ୍ଦରରେ ଅବତରଣ କରୁଥିଲା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଏକ ଦୁବାଇ-କୋଜିକୋଡେ ଏୟାର ଇଣ୍ଡିଆଏକ୍ସପ୍ରେସ ବିମାନ ଯାହାର  ନମ୍ବର IX-1344 ଥିଲା।  କ୍ୟାବିନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦୁର୍ଘଟଣା ସମୟରେ ପ୍ରବଳ ବର୍ଷା ହୋଇଥିଲା। ବିମାନଟି ଅବତରଣ କରୁଥିବା ରନୱେ ବହୁତ ଲମ୍ବା ନଥିଲା। କୁହାଯାଉଛି କି ଅବତରଣ ସମୟରେ ବିମାନର ଅଗ୍ରଭାଗ ମାଡ଼ ହୋଇଯିବା ପରେ ବିମାନ କ୍ଷତିଗ୍ରସ୍ତ ହୋଇଥିଲା। ଅନ୍ୟପକ୍ଷରେ ପାଇଲଟ୍ ଅଭିଜ୍ଞ ହୋଇଥିବାରୁ ଅବତରଣ ସମୟରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିଥିଲେ। ଶୁକ୍ରବାର ସନ୍ଧ୍ୟା ୭.୩୦ ରୁ ୭୪୫ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।

ଏହି ବିମାନରେ ୧୯୦ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ଥିଲେ। କୌଣସି ଯାତ୍ରୀ ମୃତ୍ୟୁମୁଖରେ ପଡ଼ିଥିବା ଖବର ନାହିଁ। ଦୁର୍ଘଟଣା ଘଟିବାର ଅଳ୍ପ ସମୟ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଯାତ୍ରୀମାନେ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଛନ୍ତି। ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିମାନଟି ୨ ଖଣ୍ଡ ହୋଇଥିଲେ ମଧ୍ୟ ନିଆଁ ଲାଗି ନ ଥିବାରୁ ବଡ଼ ଧରଣର ଦୁର୍ଘଟଣାରୁ ରକ୍ଷାପାଇ ଯାଇଛି।

ସୂଚନା ଅନୁସାରେ, ବିମାନରେ କରୋନା ମହାମାରୀ ହେତୁ ଦୁବାଇରେ ଫସି ରହିଥିବା ଭାରତୀୟମାନେ ଘରକୁ ଫେରୁଥିଲେ। ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଘଟଣା ଲାଗି ଦୁଃଖ ପ୍ରକାଶ କରିବା ସହ ସମସ୍ତ ପ୍ରକାର ସାହାଯ୍ୟ ଲାଗି ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ୍ କରି ଉଦ୍ଧାରକାର୍ଯ୍ୟ ଲାଗି ଏନଡିଆରଏଫ୍ ବାହିନୀକୁ ଘଟଣାସ୍ଥଳକୁ ପଠାଯାଇଛି ବୋଲି କହିଛନ୍ତି।

Share this: