ଅଜ୍ଞାନ ତିମିର ଘୋଟିଛି ଜଗତେ
ଆହେ ପ୍ରଭୁ ଗଜାନନ,
ଅଜ୍ଞାନତା ନାଶି ମାନବ ହୃଦୟେ
ଭରିଦିଅ ଦିବ୍ୟଜ୍ଞାନ ।
ମାନବ ହୃଦରୁ ଲିଭି ଯାଇଅଛି
ସ୍ନେହ ପ୍ରେମ ଦୟା ଭାବ,
ସ୍ୱାର୍ଥଲୋଭ ବଶେ ଅନ୍ୟର ଅନିଷ୍ଟ
କରେ ଅଜ୍ଞାନ ମାନବ ।
ମାନବ ଚେତନା ମାନବୀୟ ଭାବ
ଏବେ ପ୍ରଭୁ!ଲୁପ୍ତ ପ୍ରାୟ,
ସାରା ଜଗତରେ ଘୋଟିଛି ଅଶାନ୍ତି
ବଢୁଛି ଖାଲି ଅନ୍ୟାୟ ।
ସ୍ୱାର୍ଥଲୋଭେ ଆଜି ମାନବର ମନ
ହେଉଛି ଅଣଆୟତ୍ତ,
ସ୍ନେହ ପ୍ରେମ ତ୍ୟାଗ ଦୟା କ୍ଷମା ଗୁଣ
ହୋଇ ଯାଉଅଛି ଲୁପ୍ତ ।
ବିବେକ ବୈରାଗ୍ୟ ନାଶ ହୋଇ ଏବେ,
ବଢ଼ିଛି ଭୋଗ ଲାଳସା,
“ମୁଁ ଓ ମୋହର”ଭାବନାରେ ରହି
ମାନବ ମେଣ୍ଟାଏ ତୃଷା ।
ଆହେ ଜ୍ଞାନଦାତା ଗଣପତି ବାବା!
ଏତିକି ମିନତି ଘେନ,
ସଭିଙ୍କ ହୃଦୟେ ଭରିଦିଅ ପ୍ରଭୁ!
ଶୁଭବୁଦ୍ଧି ଦିବ୍ୟଜ୍ଞାନ ।
ଅଦୃଶ୍ୟ ଭୂତାଣୁ”କୋରୋନା”କବଳେ
ଜଗତବାସୀ ଆକ୍ରାନ୍ତ,
ଅସଂଖ୍ୟ ଲୋକଙ୍କ ଜୀବନ ନେଲାଣି
ସେ କୋରୋନା ଯମଦୂତ ।
ତବ ଶ୍ରୀଚରଣେ ଅଶେଷ ପ୍ରଣାମ
କରୁଅଛି ସମର୍ପଣ,
ଆହେ ବିଘ୍ନହର୍ତ୍ତା ରୋକିଦିଅ ବାରେ
ଏହି ରୋଗ ସଂକ୍ରମଣ ।