ବୃଦ୍ଧାଙ୍କୁ ଖଟିଆରେ ଘୋଷାଡ଼ି ଘୋଷାଡ଼ି ନେବା ଘଟଣା ରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ
ଜଣେ ଶତାୟୁ ବୃଦ୍ଧା ଲଭେ ବଘେଲ୍ଙ୍କୁ ଜନଧନ ଯୋଜନାରେ ମିଳିଥିବା ଟଙ୍କା ଉଠାଣ ପାଇଁ ବ୍ୟକ୍ତିଗତ ଭାବେ ବ୍ୟାଙ୍କରେ ହାଜର ହେବା ନିମନ୍ତେ ବ୍ରାଞ୍ଚ ମ୍ୟାନେଜର କହିଥିଲେ। ଷାଠିଏ ବର୍ଷ ବୟସ୍କ ଲଭେଙ୍କ ଝିଅ ପୁଞ୍ଜିମତୀ ଦେଈ ମା’ଙ୍କୁ ଏକ ଖଟିଆରେ ଘୋଷାଡ଼ି ଘୋଷାଡ଼ି ନେବା ଘଟଣା ଦୃଷ୍ଟିକୁ ଆସିଥିଲା। ଯାହା ଦେଶରେ ଚର୍ଚିତ ହୋଇଛି ।
ଏହି ଦୁର୍ଭାଗ୍ୟଜନକ ଘଟଣାକୁ ରାଜ୍ୟ ସରକାର ଅତ୍ୟନ୍ତ ଗୁରୁତର ସହିତ ଗ୍ରହଣ କରି ଗତ ରବିବାର ଦିନ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷଙ୍କୁ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ବରଗାଁ ବ୍ରାଞ୍ଚର ମ୍ୟାନେଜର ଶ୍ରୀ ଅଜିତ ପଧାନଙ୍କୁ ତତ୍କାଳ ନିଲମ୍ବନ କରାଯାଇଛି ଓ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦିଆଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।