Hingula Jatra Talcher: ତାଳଚେର ହିଙ୍ଗୁଳା ପୀଠରେ ୨ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ, ଲୋକ ମହୋତ୍ସବ ଆରମ୍ଭ

Share this:

ତାଳଚେର: Maa Hingula Jatara Talcher ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନି ସ୍ୱରୂପିଣୀ ମା’ ହିଙ୍ଗୁଳାଙ୍କ ନବଦିନ ବ୍ୟାପୀ ବାର୍ଷିକ ଯାତ୍ରା ଓ ୧୮ତମ ଲୋକ ମହୋତ୍ସବ ଗୋପାଳପ୍ରସାଦ ପୀଠରେ ଆରମ୍ଭ ହୋଇଛି। ଲକ୍ଷଲକ୍ଷ ମହିଳା ଓ ପୁରୁଷ ଶ୍ରଦ୍ଧାଳୁଙ୍କ ସମାବେଶରେ ଲୋକାରଣ୍ୟ ହୋଇପଡ଼ିଛି ଦେବୀପୀଠ। ପ୍ରଚଣ୍ଡ ଖରା ସତ୍ତ୍ୱେ ଅବିଭକ୍ତ ଢ଼େଙ୍କାନାଳ ଜିଲ୍ଲା ସମେତ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୨ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏକାଠି ହୋଇଥିବା ଖବର ମିଳିଛି। ମା’ଙ୍କର ଦର୍ଶନ ପାଇଁ ଭକ୍ତ ଖରାକୁ ଖାତିର ନକରି ମା’ଙ୍କ ଦର୍ଶନ ଲାଭ କରିଛି।  

ସୂଚନାଯୋଗ୍ୟ କୋଭିଡ୍‌ କଟକଣାକୁ ନେଇ ଗତ ୨ ବର୍ଷ ହେଲା ମା’ଙ୍କ ବାର୍ଷିକ ଯାତ୍ରା ଭକ୍ତଙ୍କ ପାଇଁ ବନ୍ଦ ଥିଲା। ଏ ବର୍ଷ କଟକଣା ଉଠିବା ପରେ ଶ୍ରଦ୍ଧାଳୁମାନଙ୍କ ଭିଡ ସକାଳ ଭୋର୍‌ ସମୟରୁ ଦେବୀପୀଠରେ ଦେଖିବାକୁ ମିଳିଛି। ଭୋରରୁ ମା’ଙ୍କ ପୀଠରେ ନୀତି କରାଯାଇଥିଲା। ଅପରାହ୍ନରେ ମା’ଙ୍କ ଆଲମକୁ ଏକ ଭକ୍ତି ଶୋଭାଯାତ୍ରାରେ ଦିଅଁ ଘରୁ ବଡ଼ ମଣ୍ଡପକୁ ଅଣାଯାଇଥିଲା। ସେଠାରେ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ମୁଖ୍ୟ ପୂଜକ ଶାବରୀ ମନ୍ତ୍ରରେ ପୂଜାପାଠ  କରିଥିଲେ।

ପ୍ରବଳ ଭିଡ଼ ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମା’ଙ୍କ ଉଭାସ୍ଥଳୀ ଏବଂ ମନ୍ଦିର ଚତୁଃପାର୍ଶ୍ୱକୁ କପଡା ଦ୍ୱାରା ସିଲିଂ କରାଯାଇଛି। ଯେପରି ଭକ୍ତଟି  ସୁରୁଖୁରୁରେ ମା’ଙ୍କ ଦର୍ଶନ ସହ ଭୋଗ ଅର୍ପଣ ନିମନ୍ତେ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଓ ଟ୍ରାଫିକ ବନ୍ଦୋବସ୍ତ କରାଯାଇଛି। ଭକ୍ତମାନଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାନୀୟ ଜଳ, ଦହି, ସରବତ, ତରୁଭୁଜ ଆଦି ବଣ୍ଟନ କରାଯାଉଛି। ପ୍ରବଳ ଖରାରୁ ରକ୍ଷା ପାଇଁ ଭକ୍ତଙ୍କ ଉପରେ ପ୍ରଶାସନ ପକ୍ଷରୁ ଜଳ ସିଞ୍ଚନ ବ୍ୟବସ୍ଥା  ସହିତ ଅଂଶୁଘାତ ଚିକିତ୍ସା କେନ୍ଦ୍ର, ଆଶୁ ଚିକିତ୍ସା ପାଇଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ବିଶ୍ରାମ ଗୃହ ଆଦି ଖୋଲାଯାଇଛି।

ଏହି ଅବସରେ ସନ୍ଧ୍ୟାରେ ଲୋକ ମହୋତ୍ସବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପ୍ରତିଭାବାନ କଳାକାର ଯୋଗଦେଇ ନିଜର ପ୍ରତିଭା ପ୍ରଦର୍ଶନ କରୁଥିବା ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ ସମେତ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଜଗନ୍ନାଥ ଏରିଆ ଜେନେରାଲ ମ୍ୟାନେଜର ପି.ବି. ରେଡ୍ଡୀ, ହିଙ୍ଗୁଳା ଟ୍ରଷ୍ଟର ଟ୍ରଷ୍ଟି ତଥା ଉପଜିଲାପାଳ ବିଶ୍ୱରଞ୍ଜନ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ଆକାଂକ୍ଷୀ ଜିଲ୍ଲାରେ କଲ୍ୟାଣକାରୀ ଯୋଜନାର ସମୀକ୍ଷା ପାଇଁ ୩ ଦିନିଆ ଅନୁଗୋଳ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମା’ ହିଙ୍ଗୁଳାଙ୍କ ଦର୍ଶନ କରି ରାଜ୍ୟ ପାଇଁ ଶୁଭ ମନାସିଛନ୍ତି।

Read Also | Odisha Coronavirus Updates: ଓଡିଶାରୁ ଆଜି ୧୦ କୋଭିଡ ପଜିଟିଭ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *